ଦେଶର କେତେକ ରାଜ୍ୟରେ, ବିଶେଷ କରି ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ଇ.ଡି. ପକ୍ଷରୁ ନେତାମାନଙ୍କୁ ଡାକରା, ଜେରା, ଚଢ଼ଉ, ସମ୍ପତ୍ତି ଜବତ ଭଳି ଘଟଣା ବାବଦରେ ନିୟମିତ ଶୁଣିବାକୁ ମିଳୁଛି । ସାଧାରଣ ନିର୍ବାଚନ ପୂର୍ବରୁ ଇ.ଡି. ଦ୍ୱାରା ଗିରଫ ହୋଇ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଜେଲକୁ ଯିବା ରାଜନୈତିକ ବାତାବରଣକୁ ଉଷ୍ଣ କରିଛି । ଇ.ଡି. ଦ୍ୱାରା ଗିରଫ ଓ ଚଢ଼ଉର ଭୟ ଏତେ ବେଶି ଘାରିଛି ଯେ ନେତାମାନେ ମନ୍ତ୍ରୀ ପଦ ଛାଡ଼ିବାକୁ ବି କୁଣ୍ଠା କରୁନାହାନ୍ତି । ଦୀର୍ଘ ୬୮ ବର୍ଷ ଧରି କାର୍ୟ୍ୟ କରିଆସୁଥିବା ଏକ ଅଳ୍ପଜ୍ଞାତ ସଂସ୍ଥା ଗତ ୧୦ ବର୍ଷ ମଧ୍ୟରେ ହଠାତ୍ ପି.ଏମ.ଏଲ.ଏ. ଜରିଆରେ ଖୁବ୍ ଶକ୍ତିଶାଳୀ ହୋଇ ରାଜନେୈତିକ ଭୂମିକମ୍ପ ସୃଷ୍ଟି କରିବାର ସାମର୍ଥ୍ୟ ହାସଲ କରିଛି । ଏହା କେମିତି ସମ୍ଭବ ହେଲା ତାହା ଅନୁଧ୍ୟାନର ବିଷୟ । ଦେଶରେ ଅର୍ଥ ଚୋରାଚାଲାଣକୁ ପ୍ରତିହତ କରିବା ଲାଗି ୨୦୦୨ ମସିହାରେ ‘ପି.ଏମ.ଏଲ.ଏ.’ (ପ୍ରିଭେନସନ ଅଫ ମନି ଲଣ୍ଡରିଙ୍ଗ ଆକ୍ଟ) ବା ‘ଅର୍ଥ ଚୋରାଚାଲାଣ ନିବାରଣ ଆଇନ’ର ପ୍ରଣୟନ ହୋଇଥିଲା । ଜୁଲାଇ ୧, ୨୦୦୫ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଆଇନ ଓ ନିୟମଗୁଡ଼ିକ କାର୍ୟ୍ୟକାରୀ ହେଲା । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନସ୍ଥ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ (ଏଫ.ଆଇ.ୟୁ.) ଓ ଇ.ଡ଼ି. (ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ) ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି
କୌଣସି କୁସ୍ତି ଆରମ୍ଭ ହେବା ପୂର୍ବରୁ ଯଦି ଜଣେ ପହିଲମାନଙ୍କ ହାତକୁ ପଛ ପାଖରୁ ବାନ୍ଧି ଦେଇ ଲଢ଼େଇରେ ଭାଗ ନେବାକୁ ବାଧ୍ୟ କରାଯାଏ, ତେବେ ଲଢ଼େଇର ଫଳାଫଳ କ’ଣ ହେବ ? ସୁତରାଂ, ପ୍ରତିଯୋଗିତାରେ ଉଭୟ ପକ୍ଷଙ୍କ ଲାଗି ଖେଳର ନିୟମ ସମାନ ହେବା ଜରୁରୀ । ତେଣୁ କୁହାଯାଏ ଯେ କ୍ରୀଡ଼ାଙ୍ଗନ ସମତଳ ନଥିଲେ ତାହା ଅଂଶଗ୍ରହଣକାରୀଙ୍କ ପ୍ରତି ଅନ୍ୟାୟ ଏବଂ ଦର୍ଶକମାନଙ୍କ ଲାଗି ଏକ ପ୍ରକାର ବେଇମାନୀ ହୋଇଥାଏ । ନିର୍ବାଚନୀ କୁସ୍ତି ପାଇଁ ଉପରୋକ୍ତ କଥାଟି ସର୍ବାଧିକ ପ୍ରଯୁଜ୍ୟ । କିନ୍ତୁ ବିଡ଼ମ୍ୱନା ହେଲା, ତାହାର ଅନୁପାଳନ ହେଉଥିବା ପରିଲକ୍ଷିତ ହେଉନାହିଁ । ନିର୍ବାଚନରେ ‘ଲେଭଲ୍ ପ୍ଲେଇଂ ଫିଲ୍ଡ’ ବା ‘ସମତଳ କ୍ରୀଡ଼ାଙ୍ଗନ’ ଉପଲବ୍ଧ ହେଉ ନଥିବା ଦର୍ଶାଇ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଲେଣି । ତେଣୁ ମୁକ୍ତ ଓ ଅବାଧ ନିର୍ବାଚନ କରିବା ଲାଗି ସମତଳ କ୍ରୀଡ଼ାଙ୍ଗନ ସୁନିଶ୍ଚିତ ହେବା କେତେ ଅପରିହାର୍ଯ୍ୟ, ତାହା ବୁଝିବାର ଆବଶ୍ୟକତା ରହିଛି । ଅସମତଳ ନିର୍ବାଚନୀ ରଣାଙ୍ଗନ କହିଲେ ସେହି ଅବସ୍ଥାନକୁ ବୁଝାଏ ଯେଉଁଠି କ୍ଷମତାସୀନ ଦଳ କ୍ଷମତାର ଅପବ୍ୟବହାର କରି ସମ୍ୱଳ, ଗଣମାଧ୍ୟମ ଓ ରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକୁ ନିଜ ଅକ୍ତିଆରକୁ ନେଇ ବିରୋଧୀ ଦଳଗୁଡ଼ିକ ପାଇଁ ସେଗୁଡ଼ିକର ପହଞ୍ଚରେ ଏପରି ଅନ୍ତରାୟ ସୃଷ୍ଟି କରିଦିଏ ଯେ ସେମାନଙ୍କ ପକ୍ଷରେ ନିଜକୁ ସଂଗଠିତ କରିବା ତଥା ଗମ୍ଭୀରତାର ସହ ନିର୍ବାଚନ ଲଢ଼ିବା ଦୁରୁହ ହୋଇପଡ଼େ